ରୁକୁ ସୋନାଙ୍କ କଣ୍ଠରେ ସଙ୍ଗୀତର ଯାଦୁ

0
Spread the love

ସଙ୍ଗୀତ ପ୍ରତି ଅସୀମ ଭଲପାଇବା, ଅଦମ୍ୟ ଅଧ୍ୟବସାୟ ଓ ସୁମଧୁର କଣ୍ଠସ୍ୱର ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି ଗାୟକ ରୁକୁ ସୋନା। ଛୋଟବେଳୁ ସଙ୍ଗୀତ ପ୍ରତି ତାଙ୍କର ଥିଲା ଗଭୀର ଆକର୍ଷଣ। ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ନିଜ ଗାଁ ବେଲପଡ଼ାର ଆଜାଦ ହିନ୍ଦ ଫୌଜ କ୍ଲବରେ ଆୟୋଜିତ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ରୁକୁ ନିଜ କଣ୍ଠର ଯାଦୁରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ସଫଳତା ତାଙ୍କ ଗାୟିକୀ ପ୍ରତିଭାକୁ ସମାଜ ସମ୍ମୁଖରେ ଆଣିବାର ପ୍ରଥମ ପାହାଚ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ ଉପସ୍ଥିତ ଥିବା ଶ୍ରୀ ପଞ୍ଚାନନ ପଣ୍ଡା ରୁକୁଙ୍କ ପ୍ରତିଭାରେ ବେଶ୍ ଆକର୍ଷିତ ହୋଇଥିଲେ। ସେହି ଦିନଠାରୁ ପଞ୍ଚାନନ ପଣ୍ଡା ତାଙ୍କର ପ୍ରଥମ ସଙ୍ଗୀତ ଗୁରୁ ହୋଇଥିଲେ। ସଙ୍ଗୀତ ଶିଖିବା ପାଇଁ ରୁକୁ ଘରଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ଗୁରୁଙ୍କ ଘରକୁ ରାତି ଅଧରେ ମଧ୍ୟ ସାଇକେଲ ଚଳାଇ ଯାଉଥିଲେ। ସଙ୍ଗୀତ ପ୍ରତି ତାଙ୍କର ଏହି ନିଷ୍ଠା ଓ ସାଧନା ହିଁ ପରବର୍ତ୍ତୀ ସମୟରେ ତାଙ୍କୁ ସଫଳତାର ଶିଖର ଆଡ଼କୁ ନେଇଥିଲା।

୨୦୦୦ ମସିହାରେ “ଝଲକି ଗଲି” ଗୀତରୁ ରୁକୁ ନିଜର ସଙ୍ଗୀତ ଯାତ୍ରା ଆରମ୍ଭ କରିଥିଲେ। ଏହା ସହିତ ସେ ପ୍ରଥମ ସମ୍ବଲପୁରୀ ମ୍ୟୁଜିକ୍ ଭିଡିଓ “ରଙ୍ଗୋଲି”ରେ ମଧ୍ୟ କଣ୍ଠଦାନ କରିଥିଲେ। “ଚୁମା ଦେରେ ଧନ” ଭଳି ଗୀତଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସେ ୧୦ ହଜାରରୁ ଊର୍ଦ୍ଧ୍ୱ ଛତିଶଗଡ଼ୀ, ସମ୍ବଲପୁରୀ ଓ ଓଡ଼ିଆ ଗୀତ ଗାଇଥିବା ଜଣାପଡ଼ିଛି।

ରୁକୁଙ୍କ ପ୍ରଥମ ଓଡ଼ିଆ ଗୀତ ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ “ଲଚକମଣି ଜୁରା-ବେଣି ଆଲୋ ମୋ ରିବନ-ଫିତା” ତାଙ୍କୁ ଓଡ଼ିଶାରେ ଏକ ନୂଆ ପରିଚୟ ଦେଇଥିଲା। ପରେ ସିନେମା ଜଗତରେ ମଧ୍ୟ ସେ ନିଜର ସୁମଧୁର ସ୍ୱରର ଛାପ ଛାଡ଼ିଛନ୍ତି। “ବେସାହାରା” ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ “ଟିକେ ହାଲକେଇକି ଦୋଷ ରହୁଚି” ଗୀତରେ ସେ କଣ୍ଠଦାନ କରିଛନ୍ତି।

ଏବେ ପୂଜା ବଜାରକୁ ଆସିବାକୁ ଥିବା ତାଙ୍କର ଅନେକ ଗୀତକୁ ନେଇ ଶ୍ରୋତାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। “ଛମକ ଛାଲୋ”, “ହଳଦୀ ମାଖି ହାଲୋ ହାଲୋ”, “ରବା ଓ ରବା” ଓ “ରସିଆ ପିଲା” ଭଳି ୨୦ରୁ ୨୫ଟି ଧମାକାଦାର ଗୀତ ଶ୍ରୋତାଙ୍କୁ ମନୋରଞ୍ଜନର ନୂଆ ଅନୁଭୂତି ଦେବ ବୋଲି ଆଶା କରାଯାଉଛି।

ଗାଁର ଏକ ଛୋଟ ସଙ୍ଗୀତ ମଞ୍ଚରୁ ଆରମ୍ଭ ହୋଇଥିବା ରୁକୁ ସୋନାଙ୍କ ଏହି ସଙ୍ଗୀତ ଯାତ୍ରା ଆଜି ଏକ ବଡ଼ ପରିସରରେ ପହଞ୍ଚିଛି। ନିଷ୍ଠା, ସାଧନା ଓ ପ୍ରତିଭାକୁ ସାଥୀ କରି ସେ ଆଗାମୀ ଦିନରେ ସଙ୍ଗୀତ ଜଗତରେ ଆହୁରି ସଫଳତା ହାସଲ କରନ୍ତୁ—ଏହା ହିଁ ତାଙ୍କ ଅସଂଖ୍ୟ ଶ୍ରୋତାଙ୍କ ଆଶା।

 

Leave a Reply

Your email address will not be published. Required fields are marked *