କୁକୁରଙ୍କୁ ବି ହେଉଛି ମଧୁମେହ: ଇନସୁଲିନ୍‌ରେ ଚାଲିଛି ଚିକିତ୍ସା, ମାସକୁ ୧୦ରୁ ଅଧିକ କୁକୁରଙ୍କ ଚିକିତ୍ସା

Spread the love

ଭୁବନେଶ୍ୱର, ୨୫/୦୮: ଏବେ କେବଳ ମଣିଷ ନୁହେଁ, ପୋଷା କୁକୁରଙ୍କ ମଧ୍ୟରେ ବି ବଢ଼ୁଛି ମଧୁମେହ ବା ଡାଏବେଟିସ୍‌ ସମସ୍ୟା। ଅନିୟମିତ ଖାଦ୍ୟ, ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଏବଂ ଶାରୀରିକ କସରତର ଅଭାବ କୁକୁରଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ସାଜୁଛି। ଭୁବନେଶ୍ୱରର ବିଭିନ୍ନ ପଶୁ ଚିକିତ୍ସାଳୟରେ ପ୍ରତି ମାସରେ ଡାଏବେଟିସ୍‌ ଆକ୍ରାନ୍ତ ଏକାଧିକ କୁକୁରଙ୍କ ଚିକିତ୍ସା କରାଯାଉଛି।

ପୂର୍ବରୁ କୁକୁରଙ୍କ ମଧ୍ୟରେ ଏଭଳି ସମସ୍ୟା କମ୍ ଦେଖିବାକୁ ମିଳୁଥିଲା। ହେଲେ ଏବେ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସର ପରିବର୍ତ୍ତନ ସହ କୁକୁରଙ୍କ ମଧ୍ୟରେ ମଧୁମେହ ଭଳି ରୋଗ ଚିହ୍ନଟ ହେଉଛି। ପୋଷା କୁକୁରଙ୍କୁ ଅଧିକ ଗେହ୍ଲା କରି ଚିକେନ୍, ମଟନ୍, କ୍ଷୀର, ଛେନା, ବିସ୍କୁଟ୍ ଓ ଅନ୍ୟାନ୍ୟ ଖାଦ୍ୟ ଦିଆଯାଉଥିବାବେଳେ ସେମାନଙ୍କ ପାଇଁ ସଠିକ୍ ଡାଏଟ୍ ପ୍ଲାନ୍‌ର ଅଭାବ ଦେଖାଯାଉଛି।

କେବଳ ଖାଦ୍ୟ ନୁହେଁ, ଶାରୀରିକ କସରତର ଅଭାବ ମଧ୍ୟ କୁକୁରଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ଅନେକ ପୋଷା କୁକୁର ଦିନର ଅଧିକାଂଶ ସମୟ ଘରେ ରହୁଥିବାବେଳେ ନିୟମିତ ଚାଲିବା, ଦୌଡ଼ିବା କିମ୍ବା ଖେଳିବାର ସୁଯୋଗ ପାଉନାହାନ୍ତି। ଫଳରେ ଓଜନ ବଢ଼ିବା ସହ ବିଭିନ୍ନ ମେଟାବଲିକ୍‌ ସମସ୍ୟା ସୃଷ୍ଟି ହେଉଛି।

ଡାଏବେଟିସ୍‌ ଚିହ୍ନଟ ହେବା ପରେ କୁକୁରଙ୍କୁ ପଶୁ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଇନସୁଲିନ୍‌ ଦିଆଯାଉଛି। ନିର୍ଦ୍ଧାରିତ ସମୟରେ ଔଷଧ ଓ ଇନସୁଲିନ୍‌ ଦେବା ସହ ଖାଦ୍ୟ, ଓଜନ ଏବଂ ପୋଷଣ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଶୁ ଚିକିତ୍ସକମାନେ ପରାମର୍ଶ ଦେଉଛନ୍ତି।

ବୁଲା କୁକୁରଙ୍କ ସ୍ଥିତି ମଧ୍ୟ ଚିନ୍ତାଜନକ। ଅନେକ ସମୟରେ ସେମାନଙ୍କୁ ମିଠା ବିସ୍କୁଟ୍, ଛଣାଛଣି ଖାଦ୍ୟ, ପୁରୀ, ଗୁଲୁଗୁଲା ଓ ଅନ୍ୟାନ୍ୟ ଅସ୍ୱାସ୍ଥ୍ୟକର ଖାଦ୍ୟ ଦିଆଯାଉଛି। ମଣିଷଙ୍କ ଖାଦ୍ୟ ସବୁବେଳେ କୁକୁରଙ୍କ ପାଇଁ ଉପଯୋଗୀ ନୁହେଁ ବୋଲି ବିଶେଷଜ୍ଞମାନେ ସଚେତନ କରିଛନ୍ତି

Leave a Reply

Your email address will not be published. Required fields are marked *