୧୦ ମାସ ପରେ ଜେଲରୁ ମୁକୁଳିଲେ ବିକ୍ରମ ପଣ୍ଡା ହଜାର ହଜାର ସମର୍ଥକଙ୍କ ଭିଡ଼, ପୁଷ୍ପବୃଷ୍ଟିରେ ସ୍ୱାଗତ; ବିରାଟ ଶୋଭାଯାତ୍ରାରେ ଘରକୁ ଫେରିଲେ
(ବ୍ରହ୍ମପୁର: / ରିପୋର୍ଟର- ପ୍ରେମାନନ୍ଦ ପୁଜାରୀ) : ଦୀର୍ଘ ୧୦ ମାସର ଜେଲ ଜୀବନ ପରେ ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକୁଳିଛନ୍ତି ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ସେ ପ୍ରାୟ ୧୦ ମାସ ଧରି ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଥିଲେ। ହାଇକୋର୍ଟ ଗତକାଲି ତାଙ୍କୁ ଜାମିନ ମଞ୍ଜୁର କରିବା ପରେ ଆଜି ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ସେ ଜେଲରୁ ବାହାରିଛନ୍ତି।
ବିକ୍ରମଙ୍କ ମୁକ୍ତି ଖବର ପାଇ ତାଙ୍କ ସମର୍ଥକ, ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ତାଙ୍କୁ ସ୍ୱାଗତ କରିବା ପାଇଁ ଜେଲ ସମ୍ମୁଖରେ ହଜାର ହଜାର ସମର୍ଥକଙ୍କ ଭିଡ଼ ଜମିଥିଲା। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କର୍ମୀମାନେ ବିକ୍ରମ ଜେଲରୁ ବାହାରିବା ପରେ ପୁଷ୍ପବୃଷ୍ଟି କରି ତାଙ୍କୁ ସ୍ୱାଗତ କରିଥିଲେ।
ଏହି ଅବସରରେ ବିଜେଡିର ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସଞ୍ଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ମନ୍ମଥ ରାଉତରାୟ, ଚିନ୍ମୟ ସାହୁ, ପ୍ରତାପ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଭଗବାନ ଗନ୍ତାୟତ, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, କୈଳାସ ରଣା, ସରୋଜ ସାବତ, ଛତ୍ରପୁରର ପୂର୍ବତନ ବିଧାୟକ ସୁବାସ ବେହେରା ଓ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ବିଜେଡି କର୍ପୋରେଟର, ଛାତ୍ର, ଯୁବ ଓ ମହିଳା ବିଜେଡିର ନେତା ଓ କର୍ମୀ ଉପସ୍ଥିତ ଥିଲେ।
ଜେଲରୁ ବାହାରିବା ପରେ ବିକ୍ରମଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଗଜପତି ନଗରସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା। ଶୋଭାଯାତ୍ରାରେ ବିପୁଳ ସଂଖ୍ୟକ ସମର୍ଥକ ସାମିଲ ହୋଇଥିବାରୁ ସହରରେ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା।
‘ଦୀର୍ଘ ୧୦ ମାସର ପ୍ରତୀକ୍ଷାର ଅନ୍ତ’
ବିକ୍ରମଙ୍କ ମା’ କହିଛନ୍ତି, ଦୀର୍ଘ ୧୦ ମାସ ଧରି ପରିବାର ଯେଉଁ ପ୍ରତୀକ୍ଷାରେ ଥିଲା, ଆଜି ତାହାର ଅନ୍ତ ଘଟିଛି। ପୁଅ ଘରକୁ ଫେରିଥିବାରୁ ପରିବାର ଭାବବିହ୍ୱଳ ହୋଇପଡ଼ିଛି।
ବିକ୍ରମଙ୍କ ବାପା କହିଛନ୍ତି ଯେ, ତାଙ୍କର ଓଡ଼ିଶା ନ୍ୟାୟପାଳିକା ଉପରେ ଦୃଢ଼ ବିଶ୍ୱାସ ଥିଲା। ତାଙ୍କ ପୁଅକୁ ବିନା ଦୋଷରେ ଜେଲ ପଠାଯାଇଥିବା ସେ ଦାବି କରିଛନ୍ତି।
‘ମୁଁ ନିର୍ଦ୍ଦୋଷ, ହତ୍ୟାକାଣ୍ଡରେ ମୋର ସମ୍ପୃକ୍ତି ନାହିଁ’
ଜେଲରୁ ବାହାରିବା ପରେ ବିକ୍ରମ ପଣ୍ଡା କହିଛନ୍ତି, ସେ ନିର୍ଦ୍ଦୋଷ ଏବଂ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ନ୍ୟାୟପାଳିକା ଉପରେ ତାଙ୍କର ବିଶ୍ୱାସ ଥିଲା ଏବଂ ଆଗକୁ ମଧ୍ୟ ନ୍ୟାୟ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏଥିସହ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଜାଣିଶୁଣି ବିଜେପି ସରକାର ଜେଲ ପଠାଇଥିବା ବିକ୍ରମ ଅଭିଯୋଗ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଓ ସମର୍ଥକଙ୍କ ଭଲପାଇବା ଯୋଗୁଁ ସେ ଆଜି ଜେଲରୁ ବାହାରିପାରିଥିବା ବିକ୍ରମ କହିଛନ୍ତି।
ତେବେ ମାମଲାର ଆଇନଗତ ପ୍ରକ୍ରିୟା ଜାରି ରହିଥିବା ବେଳେ ଜାମିନରେ ବାହାରିବା ପରେ ବିକ୍ରମଙ୍କ ଏହି ଭବ୍ୟ ସ୍ୱାଗତ ବ୍ରହ୍ମପୁର ରାଜନୀତିରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି।
